ଶ୍ରମିକ କଲ୍ୟାଣ ଓ ଆଇନ ପ୍ରବର୍ତ୍ତନକୁ ସୁଦୃଢ଼ କରିବାକୁ ମାସିକ ସମୀକ୍ଷା ନିର୍ଦ୍ଦେଶ ଦେଲେ ଓଡ଼ିଶାର ଶ୍ରମ ମନ୍ତ୍ରୀ
ଜାଗୃତ ଓଡ଼ିଶା ବ୍ୟୁରୋ, Bhubaneswar ·

ରାଜ୍ୟରେ ଶ୍ରମିକ କଲ୍ୟାଣ ସମ୍ପର୍କିତ ଯୋଜନାଗୁଡ଼ିକର ସଫଳ ରୂପାୟଣ, ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଲାଗି ଶନିବାର ଶ୍ରମ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ।
ଲୋକସେବା ଭବନସ୍ଥିତ କନଭେନସନ୍ ସେଣ୍ଟରରେ ଶ୍ରମ ନିର୍ଦ୍ଦେଶାଳୟର କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନେଇ ଆୟୋଜିତ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶିଶୁ ଶ୍ରମିକ ପ୍ରଥା, ଦାଦନ ଶ୍ରମିକଙ୍କ ସ୍ଥାନାନ୍ତରଣ, ନିର୍ମାଣ ଶ୍ରମିକଙ୍କ କଲ୍ୟାଣ, ଶ୍ରମ ଭିତ୍ତିଭୂମି ଏବଂ ବିଭାଗୀୟ ସେବା ପ୍ରଦାନ ସମ୍ପର୍କିତ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା କରିଥିଲେ।
ସଂଶୋଧିତ ତଦାରଖ ବ୍ୟବସ୍ଥା ଅନୁଯାୟୀ, ପ୍ରତି ମାସ ୭ ତାରିଖରେ ଯୁଗ୍ମ ଶ୍ରମ ଆୟୁକ୍ତ (ଜେଏଲ୍ସି)ମାନେ ଉପଶ୍ରମ ଆୟୁକ୍ତ (ଡିଏଲ୍ସି) ଏବଂ ଜିଲ୍ଲା ଶ୍ରମ ଅଧିକାରୀ (ଡିଏଲ୍ଓ)ଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା କରିବେ। ସେହିପରି ଡିଏଲ୍ସିମାନେ ପ୍ରତି ମାସ ୪ ତାରିଖରେ ଡିଏଲ୍ଓଙ୍କ କାର୍ଯ୍ୟ ସମୀକ୍ଷା କରିବେ। ଅନ୍ୟପକ୍ଷରେ ଡିଏଲ୍ଓମାନେ ପ୍ରତି ମାସ ୨ ଓ ୧୭ ତାରିଖରେ ସହକାରୀ ଶ୍ରମ ଅଧିକାରୀ (ଏଏଲ୍ଓ) ଏବଂ ଶ୍ରମ ନିରୀକ୍ଷକମାନଙ୍କ କାର୍ଯ୍ୟର ମୂଲ୍ୟାଙ୍କନ କରିବେ।
ଅଧିକାରୀମାନେ ନିୟମିତ ସମୀକ୍ଷା ବୈଠକ କରିବା, ଜିଲ୍ଲାସ୍ତରରେ ତଦାରଖ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟର ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ମନ୍ତ୍ରୀ ସିଂଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି।
