ଅମ୍ବାଦଳା ଥାନା କ୍ୱାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ପୁଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
ଜାଗୃତ ଓଡ଼ିଶା ବ୍ୟୁରୋ, Muniguda ·

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଅମ୍ବାଦଳା ଥାନାର ସବ୍ଇନ୍ସପେକ୍ଟର (ଏସ୍ଆଇ) ଅଶୋକ ପ୍ରଧାନଙ୍କ ମୃତଦେହ ଶନିବାର ସନ୍ଧ୍ୟାରେ ଥାନା ପରିସରରେ ଥିବା କ୍ୱାର୍ଟର୍ସ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।
ଥାନାର ଜଣେ କର୍ମଚାରୀ ଏସ୍ଆଇ ପ୍ରଧାନଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ତୁରନ୍ତ ଅନ୍ୟମାନଙ୍କୁ ସୂଚନା ଦେଇଥିଲେ। ଏହାପରେ ପୁଲିସ କର୍ମଚାରୀମାନେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ଅମ୍ବାଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଅମ୍ବାଦଳା ଅଞ୍ଚଳରେ ଆତଙ୍କ ଓ ଚାଞ୍ଚଲ୍ୟ ଖେଳିଯାଇଛି।
ମୃତ ଏସ୍ଆଇ ପ୍ରଧାନ ଫୁଲବାଣୀ ଜିଲ୍ଲାର ବିଗାପଦର ଗ୍ରାମର ବାସିନ୍ଦା। ସେ ନିଜ ପରିବାର ସହ ଅମ୍ବାଦଳାରେ ଏକ ଭଡ଼ା ଘରେ ରହୁଥିଲେ। ସୂତ୍ରରୁ ଜଣାପଡ଼ିଛି ଯେ, ଶନିବାର ସନ୍ଧ୍ୟାରେ ସେ ନିଜ ଘରୁ ବାହାରି ଥାନାକୁ ଯାଇଥିଲେ।
ପ୍ରାଥମିକ ସୂଚନା ଅନୁଯାୟୀ, କିଛି ପାରିବାରିକ କାରଣରୁ ସେ ଏଭଳି ଚରମ ପଦକ୍ଷେପ ନେଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ଯେଉଁ ଭଡ଼ା ଘରେ ମୃତ ଏସ୍ଆଇ ରହୁଥିଲେ, ସେହି ଘରର ମାଲିକ କହିଛନ୍ତି ଯେ ପରିବାର ମଧ୍ୟରେ କେବେ କୌଣସି ଝଗଡ଼ା କିମ୍ବା ଅଶାନ୍ତି ହୋଇଥିବା ସେ ଦେଖିନାହାନ୍ତି କି ଶୁଣିନାହାନ୍ତି। ଏହାକୁ ନେଇ ମୃତ୍ୟୁର ପରିସ୍ଥିତି ଉପରେ ସନ୍ଦେହ ସୃଷ୍ଟି ହୋଇଛି।
ଏସ୍ଆଇଙ୍କ ମୃତ୍ୟୁ ପଛରେ ପାରିବାରିକ ସମସ୍ୟା, କାର୍ଯ୍ୟକ୍ଷେତ୍ରର ଚାପ ନା ଅନ୍ୟ କୌଣସି କାରଣ ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
