Jagrut Odisha

ଯାଜପୁର - ଘରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ

ଜାଗୃତ ଓଡ଼ିଶା ବ୍ୟୁରୋ, Jajpur ·

ଯାଜପୁର - ଘରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ
ଯାଜପୁର - ଘରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ

ଯାଜପୁର ଜିଲ୍ଲାର ନଳୀପୁର ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଘରେ ଭୟାବହ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୪ ଜଣଙ୍କ ଦଗ୍ଧ ହୋଇ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୦ ବର୍ଷର ଜଣେ ଶିଶୁ ଏବଂ ୮ ମାସର ଏକ ଶିଶୁ ରହିଛନ୍ତି।

ବଡ଼ଚଣା ବ୍ଲକ୍ ଏବଂ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ଗ୍ରାମରେ ଥିବା ଏସ୍‌.କେ. ନିଜାମୁଦ୍ଦିନଙ୍କ ଆଜବେଷ୍ଟସ୍ ଛାତ ଘରେ ରାତି ପ୍ରାୟ ୮ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ଯାଜପୁର ଏସ୍‌ପି ଯଶପ୍ରତାପ ଶ୍ରୀମାଲ ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ, କେଉଁ କାରଣରୁ ନିଆଁ ଲାଗିଲା ତାହା ଏଯାଏଁ ଜଣାପଡ଼ିନାହିଁ। ତେବେ ନିଆଁ ଦ୍ରୁତଗତିରେ ସମଗ୍ର ଘରକୁ ବ୍ୟାପିଯାଇଥିଲା ଏବଂ ଘରଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା। ମୃତକଙ୍କ ମଧ୍ୟରେ ନିଜାମୁଦ୍ଦିନଙ୍କ ବଡ଼ ବୋହୂ, ବାପଘରକୁ ବୁଲିବାକୁ ଆସିଥିବା ତାଙ୍କ ଝିଅ, ୧୦ ବର୍ଷର ନାତୁଣୀ ଏବଂ ୮ ମାସର ନାତି ଅଛନ୍ତି। ଚାରିଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଏହି ଅଗ୍ନିକାଣ୍ଡରେ ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ପୋଡ଼ିଯାଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବଡ଼ଚଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ଏବଂ ବାଲିଚନ୍ଦ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଆରମ୍ଭ କରିଥିଲେ।

ଏହି ହୃଦୟବିଦାରକ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକ ଓ ଆତଙ୍କର ଛାୟା ଖେଳିଯାଇଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ହଜାର ହଜାର ଲୋକ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ।