Jagrut Odisha

ଓଡ଼ିଶାରେ ବଣ୍ଟନ ହେଲା ୭୭.୮୭ ଲକ୍ଷରୁ ଅଧିକ ସଂଶୋଧିତ ପାଠ୍ୟପୁସ୍ତକ; ବିଧାନସଭାରେ ତଥ୍ୟ ରଖିଲେ ମନ୍ତ୍ରୀ

ଜାଗୃତ ଓଡ଼ିଶା ବ୍ୟୁରୋ, Bhubaneswar ·

ଓଡ଼ିଶାରେ ବଣ୍ଟନ ହେଲା ୭୭.୮୭ ଲକ୍ଷରୁ ଅଧିକ ସଂଶୋଧିତ ପାଠ୍ୟପୁସ୍ତକ; ବିଧାନସଭାରେ ତଥ୍ୟ ରଖିଲେ ମନ୍ତ୍ରୀ
ଓଡ଼ିଶାରେ ବଣ୍ଟନ ହେଲା ୭୭.୮୭ ଲକ୍ଷରୁ ଅଧିକ ସଂଶୋଧିତ ପାଠ୍ୟପୁସ୍ତକ; ବିଧାନସଭାରେ ତଥ୍ୟ ରଖିଲେ ମନ୍ତ୍ରୀ

ଓଡ଼ିଶାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏପର୍ଯ୍ୟନ୍ତ ୭୭ ଲକ୍ଷ ୮୭ ହଜାର ୪୫୭ଟି ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ କରାଯାଇଛି। ଶୁକ୍ରବାର ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ ତ୍ରୁଟି ଚିହ୍ନଟ ହେବା ପରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତ୍ରୁଟିଗୁଡ଼ିକୁ ସୁଧାରିବା ପାଇଁ ଶୁଦ୍ଧିପତ୍ର ପ୍ରସ୍ତୁତ କରାଯାଇ ସମସ୍ତ ବିଦ୍ୟାଳୟକୁ ପଠାଯାଇଥିଲା। ଏଥିସହ ଶ୍ରେଣୀଗୃହରେ ଶୁଦ୍ଧ ତଥ୍ୟ ଆଧାରରେ ପାଠପଢ଼ା ସୁନିଶ୍ଚିତ କରିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ସରକାରୀ ସୂଚନା ଅନୁଯାୟୀ, ପାଠ୍ୟପୁସ୍ତକଗୁଡ଼ିକରେ ମୋଟ ୧,୦୭୫ଟି ବ୍ୟାକରଣ, ମୁଦ୍ରଣ ଓ ବନାନଗତ ତ୍ରୁଟି ସହ ୫ଟି ତଥ୍ୟଗତ ଓ ଧାରଣାଗତ ତ୍ରୁଟି ଚିହ୍ନଟ ହୋଇଥିଲା। ଏହାବ୍ୟତୀତ ପାଠ୍ୟବସ୍ତୁର ଉନ୍ନତି ପାଇଁ ୬୬୧ଟି ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା।

ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ରାଜ୍ୟର ୫୦,୮୨୭ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପ୍ରାୟ ୩୯.୧୯ ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।

ଅନ୍ୟପକ୍ଷରେ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଛପା ଓ ବଣ୍ଟନ ଯୋଗୁଁ ରାଜ୍ୟ ରାଜକୋଷର ପ୍ରାୟ ୧୭୫ କୋଟି ଟଙ୍କା କ୍ଷତି ହୋଇଥିବା ଅଧିକାରୀମାନେ କହିଛନ୍ତି। ଏହି ଘଟଣାରେ ପୂର୍ବତନ ନିର୍ଦ୍ଦେଶକ ଓ ତିନିଜଣ ସହକାରୀ ନିର୍ଦ୍ଦେଶକ ନିଲମ୍ବିତ ହୋଇଥିବାବେଳେ ଅନ୍ୟ ୬ ଜଣ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ ପଦକ୍ଷେପ ଆରମ୍ଭ ହୋଇଛି। ଏହାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି।