Jagrut Odisha

କଟକ ପାଇଁ ୨୪ ହଜାର କୋଟିର ସେମିକଣ୍ଡକ୍ଟର ହବ୍, ୨୧୦ କୋଟିର ମହାନଦୀ ରିଭରଫ୍ରଣ୍ଟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜାଗୃତ ଓଡ଼ିଶା ବ୍ୟୁରୋ, Cuttack ·

କଟକ ପାଇଁ ୨୪ ହଜାର କୋଟିର ସେମିକଣ୍ଡକ୍ଟର ହବ୍, ୨୧୦ କୋଟିର ମହାନଦୀ ରିଭରଫ୍ରଣ୍ଟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କଟକ ପାଇଁ ୨୪ ହଜାର କୋଟିର ସେମିକଣ୍ଡକ୍ଟର ହବ୍, ୨୧୦ କୋଟିର ମହାନଦୀ ରିଭରଫ୍ରଣ୍ଟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଐତିହାସିକ କଟକ ସହରର ସାମଗ୍ରିକ ବିକାଶ ପାଇଁ ଏକାଧିକ ବଡ଼ ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳବାର କଟକର ପ୍ରସିଦ୍ଧ ବାଲିଯାତ୍ରା ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ସେ ୨୧୦ କୋଟି ଟଙ୍କାର ମହାନଦୀ ରିଭରଫ୍ରଣ୍ଟ, ୨୪ ହଜାର କୋଟି ଟଙ୍କାର ସେମିକଣ୍ଡକ୍ଟର ହବ୍ ଏବଂ ୮,୩୦୦ କୋଟି ଟଙ୍କାର କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଛନ୍ତି ।

ମହାନଦୀ ରିଭରଫ୍ରଣ୍ଟ ପାଇଁ ୨୧୦ କୋଟି

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନଦୀ ରିଭରଫ୍ରଣ୍ଟ ବିକାଶ ପ୍ରକଳ୍ପର ଡିପିଆର୍ (DPR) ପ୍ରସ୍ତୁତ ହୋଇସାରିଛି । ଖୁବଶୀଘ୍ର ଏହାର ଶିଳାନ୍ୟାସ କରାଯିବ । ଏହି ପ୍ରକଳ୍ପ କଟକ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଏହାକୁ ଏକ ଆକର୍ଷଣୀୟ ସହରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବ ।

ନରାଜରେ ୨୪ ହଜାର କୋଟିର ସେମିକଣ୍ଡକ୍ଟର ହବ୍

କଟକ ନିକଟସ୍ଥ ନରାଜଠାରେ ୮୭୦ ଏକର ଜମିରେ ଇଣ୍ଟେଲ୍ (Intel) ସହଯୋଗରେ ଓଡ଼ିଶା ସିଲିକନ୍ ଭ୍ୟାଲି ବିକଶିତ କରିବାର ଯୋଜନା ରହିଛି । ଏଥିପାଇଁ ପ୍ରାୟ ୨୪,୦୦୦ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ରଖାଯାଇଛି । ଏହି ହବ୍ ଓଡ଼ିଶାକୁ ସେମିକଣ୍ଡକ୍ଟର ଉତ୍ପାଦନ, ଡିଜାଇନ୍ ଓ ଇଲେକ୍ଟ୍ରୋନିକ୍ସ ଶିଳ୍ପର ଏକ ପ୍ରମୁଖ କେନ୍ଦ୍ର କରିବାରେ ସହାୟକ ହେବ ।

୮,୩୦୦ କୋଟିର ରିଙ୍ଗ୍ ରୋଡ୍

କଟକ ଜିଲ୍ଲାର ଟାଙ୍ଗୀଠାରୁ ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ପର୍ଯ୍ୟନ୍ତ ୧୧୧ କିଲୋମିଟର ଦୀର୍ଘ କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍ ନିର୍ମାଣ ପାଇଁ ୮,୩୦୦ କୋଟି ଟଙ୍କା ବ୍ୟୟ ହେବ । ଏହି ପ୍ରକଳ୍ପର କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାସହ ଏସ୍‌ସିବି ମେଡିକାଲ କଲେଜର ନବୀକରଣ କାର୍ଯ୍ୟ ଜାରି ରହିଥିବାବେଳେ ବାରବାଟୀ ଷ୍ଟାଡିୟମ୍‌କୁ ୬୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଆଧୁନିକ ଷ୍ଟାଡିୟମ୍ ଭାବେ ବିକଶିତ କରାଯିବ । ଚଣ୍ଡୀ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ରହିଛି ।

କଟକ ଜିଲ୍ଲାରେ ମୋଟ ୩୨,୨୫୨ କୋଟି ଟଙ୍କାର ୪୭ଟି ଶିଳ୍ପ ପ୍ରକଳ୍ପକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଇଛି । ଏଥିମଧ୍ୟରୁ ୪ଟି ପ୍ରକଳ୍ପରେ ଉତ୍ପାଦନ ଆରମ୍ଭ ହୋଇଥିବାବେଳେ ୧୬ଟିର ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଅନ୍ୟ ୨୭ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

କଟକକୁ ଏକ ଆଧୁନିକ ଶିଳ୍ପ, ପର୍ଯ୍ୟଟନ ଓ ଆର୍ଥିକ ବିକାଶର କେନ୍ଦ୍ର ଭାବେ ଗଢ଼ିତୋଳିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।