Jagrut Odisha

ବାଲିରେ ଓଡ଼ିଶାର ସାମୁଦ୍ରିକ ଐତିହ୍ୟର ଝଲକ; ଇଣ୍ଡୋନେସିଆରେ ଓଡ଼ିଶା ପରବ-୨୦୨୬ର ଭବ୍ୟ ଆୟୋଜନ

ଜାଗୃତ ଓଡ଼ିଶା ବ୍ୟୁରୋ, Bhubaneswar ·

ବାଲିରେ ଓଡ଼ିଶାର ସାମୁଦ୍ରିକ ଐତିହ୍ୟର ଝଲକ; ଇଣ୍ଡୋନେସିଆରେ ଓଡ଼ିଶା ପରବ-୨୦୨୬ର ଭବ୍ୟ ଆୟୋଜନ
ବାଲିରେ ଓଡ଼ିଶାର ସାମୁଦ୍ରିକ ଐତିହ୍ୟର ଝଲକ; ଇଣ୍ଡୋନେସିଆରେ ଓଡ଼ିଶା ପରବ-୨୦୨୬ର ଭବ୍ୟ ଆୟୋଜନ

ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ ଐତିହ୍ୟ, ସମୃଦ୍ଧ କଳା, ସଂସ୍କୃତି ଓ ଇଣ୍ଡୋନେସିଆ ସହ ରହିଥିବା ଐତିହାସିକ ସମ୍ପର୍କକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିଛି ଓଡ଼ିଶା । ଇଣ୍ଡୋନେସିଆର ବାଲିଠାରେ ଆୟୋଜିତ ହୋଇଛି ଦୁଇଦିନିଆ ଆନ୍ତର୍ଜାତୀୟ ସାଂସ୍କୃତିକ ଉତ୍ସବ ‘ଓଡ଼ିଶା ପରବ-୨୦୨୬’।

ନଭେମ୍ବର ୨୪ ଓ ୨୫ ତାରିଖରେ ବାଲିର ସାନୁରସ୍ଥିତ ବାଲି ବିଚ୍ କନଭେନସନ୍ ସେଣ୍ଟର, ଦି ମେରୁଠାରେ ଏହି ଉତ୍ସବ ଆୟୋଜିତ ହେଉଛି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏଥିରେ ଯୋଗଦେଇଛନ୍ତି ।

ବୋଇତ ବନ୍ଦାଣରେ ସାଧବଙ୍କ ସ୍ମୃତି

ଉତ୍ସବର ଦ୍ୱିତୀୟ ଦିନରେ ସାନୁର ବେଳାଭୂମିରେ ପାରମ୍ପରିକ ବୋଇତ ବନ୍ଦାଣ ଅନୁଷ୍ଠିତ ହୋଇଥିଲା । ପ୍ରାଚୀନ କଳିଙ୍ଗର ସାଧବମାନେ ବାଲି, ଜାଭା, ସୁମାତ୍ରା ଓ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଅଞ୍ଚଳକୁ ସାମୁଦ୍ରିକ ବାଣିଜ୍ୟ ପାଇଁ ଯାତ୍ରା କରୁଥିବା ଗୌରବମୟ ଇତିହାସକୁ ଏହି ଆୟୋଜନ ମନେ ପକାଇଛି ।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଇଣ୍ଡୋନେସିଆର ପ୍ରତିନିଧିମାନେ ସାମିଲ ହୋଇଥିଲେ ।

ଦ୍ରୌପଦୀ ମୁର୍ମୁ କଲେ ଉତ୍ସବର ଉଦ୍‌ଘାଟନ

ଏହି ଆୟୋଜନର ଏକ ବିଶେଷ ଆକର୍ଷଣ ଥିଲା କଟକର ବାର୍ଷିକ ବାଲିଯାତ୍ରା ସହ ବାଲିରେ ଓଡ଼ିଶା ପରବର ସମକାଳୀନ ଉଦ୍‌ଘାଟନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକର ବାଲିଯାତ୍ରାକୁ ଉଦ୍‌ଘାଟନ କରିଥିବାବେଳେ ବାଲିରେ ମଧ୍ୟ ଓଡ଼ିଶା ପରବର ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା ।

ପଟ୍ଟଚିତ୍ର, ହସ୍ତତନ୍ତ ଓ ଓଡ଼ିଆ ଖାଦ୍ୟର ପ୍ରଦର୍ଶନୀ

ଏହି ଆନ୍ତର୍ଜାତୀୟ ଉତ୍ସବରେ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ହେଉଛି । ଏଥିସହ ୧୦ରୁ ଅଧିକ ପାରମ୍ପରିକ ଓଡ଼ିଆ ଖାଦ୍ୟର ସ୍ୱତନ୍ତ୍ର ଫୁଡ୍ ଷ୍ଟଲ୍ ମଧ୍ୟ ରହିଛି ।

ପର୍ଯ୍ୟଟନ ପାଭିଲିୟନରେ କୋଣାର୍କ ସୂର୍ଯ୍ୟମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର, ଚିଲିକା, ଶିମିଳିପାଳ, କୋରାପୁଟ ଏବଂ ଧଉଳି, ରତ୍ନଗିରି, ଉଦୟଗିରି ଓ ଲଳିତଗିରି ଭଳି ପର୍ଯ୍ୟଟନସ୍ଥଳୀକୁ ଆନ୍ତର୍ଜାତୀୟ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି ।

ଓଡ଼ିଆ ପ୍ରବାସୀଙ୍କ ସହ ଆଲୋଚନା

ଉତ୍ସବର ଅଂଶ ଭାବେ ଇଣ୍ଡୋନେସିଆରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟଙ୍କୁ ନେଇ ଏକ ପ୍ରବାସୀ ଓଡ଼ିଆ ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଥିଲା । ଏଥିରେ ଇଣ୍ଡୋନେସିଆ ଓଡ଼ିଆ ସମାଜର ସଦସ୍ୟମାନେ ଯୋଗଦେଇ ନିଜ ମାତୃଭୂମି ସହ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ମତ ରଖିଥିଲେ ।

ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ, ବାଲିସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲ୍ ଏବଂ FICCIର ସହଯୋଗରେ ଏହି ଉତ୍ସବ ଆୟୋଜିତ ହେଉଛି । ଏହା ମାଧ୍ୟମରେ ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ପର୍ଯ୍ୟଟନ, ବାଣିଜ୍ୟ, ସଂସ୍କୃତି ଓ ଲୋକସମ୍ପର୍କକୁ ନୂଆ ଦିଗ ଦେବାକୁ ଲକ୍ଷ୍ୟ ରଖାଯାଇଛି ।