Jagrut Odisha

ଜାତୀୟ-ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ପରିଚୟ ପାଇବ ହୀରାକୁଦ, ମାଷ୍ଟରପ୍ଲାନ୍‌ର ସମୀକ୍ଷା କଲା ଷ୍ଟିୟରିଂ କମିଟି

ଜାଗୃତ ଓଡ଼ିଶା ବ୍ୟୁରୋ, Bhubaneswar ·

ଜାତୀୟ-ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ପରିଚୟ ପାଇବ ହୀରାକୁଦ, ମାଷ୍ଟରପ୍ଲାନ୍‌ର ସମୀକ୍ଷା କଲା ଷ୍ଟିୟରିଂ କମିଟି
ଜାତୀୟ-ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ପରିଚୟ ପାଇବ ହୀରାକୁଦ, ମାଷ୍ଟରପ୍ଲାନ୍‌ର ସମୀକ୍ଷା କଲା ଷ୍ଟିୟରିଂ କମିଟି

ହୀରାକୁଦ ଅଞ୍ଚଳକୁ ଏକ ପ୍ରମୁଖ ଜାତୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜୋରଦାର ହୋଇଛି। ଏନେଇ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୀରାକୁଦ ଅଞ୍ଚଳ ପାଇଁ ଗଠିତ ଷ୍ଟିୟରିଂ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ହୀରାକୁଦ ଅଞ୍ଚଳର ସମନ୍ୱିତ ପର୍ଯ୍ୟଟନ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନ୍ ସହିତ ବିଭିନ୍ନ ବିଭାଗ ଓ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଚାଲିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନ୍, ଜଳସମ୍ପଦ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ, ଏନ୍‌ଟିପିସି ଏବଂ ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ (IWAI) ଆଦି ସଂସ୍ଥାର ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ବାକି ଥିବା ଟେଣ୍ଡର ପ୍ରକ୍ରିୟା ନେଇ ଆଲୋଚନା ହୋଇଥିଲା।

ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ହୀରାକୁଦ ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ଭାବେ ଉଭା ହେବାକୁ ଯାଉଛି। ବିଭିନ୍ନ ପ୍ରକଳ୍ପର ସମନ୍ୱିତ କାର୍ଯ୍ୟାନ୍ୱୟନ ଦ୍ୱାରା ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ଆଞ୍ଚଳିକ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ, ସ୍ଥାନୀୟ କଳା ଓ ସଂସ୍କୃତିର ପ୍ରଚାର, ପୁଞ୍ଜିନିବେଶ ବୃଦ୍ଧି ସହ ନୂତନ ନିଯୁକ୍ତି ଓ ଜୀବିକା ସୁଯୋଗ ସୃଷ୍ଟି ହେବ। ସମସ୍ତ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଓ ଉଚ୍ଚମାନର ସହ ସମ୍ପୂର୍ଣ୍ଣ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ହୀରାକୁଦ ଜଳଭଣ୍ଡାର ଓ ଏହାର ପ୍ରସ୍ତାବିତ କର୍ତ୍ତୃପକ୍ଷ ଅଞ୍ଚଳକୁ ପ୍ରକୃତି, ସଂସ୍କୃତି ଓ ଦୁଃସାହସିକ ପର୍ଯ୍ୟଟନର ଆକର୍ଷଣୀୟ କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ହୋଟେଲ୍, ଟେଣ୍ଟ ସିଟି, କ୍ରୁଜ୍ ହବ୍, ଜଳକ୍ରୀଡ଼ା, ଆଡଭେଞ୍ଚର ଟୁରିଜିମ୍, ଇକୋ-ଟୁରିଜିମ୍ ଓ ସାଂସ୍କୃତିକ ଐତିହ୍ୟସ୍ଥଳୀର ବିକାଶ ନେଇ ଆଲୋଚନା ହୋଇଥିଲା।

ଏଥିସହ ଆରାଇଭାଲ୍ ପ୍ଲାଜା ଓ ଡ୍ୟାମ୍ ମ୍ୟୁଜିୟମ୍, ଲାଇଟ୍ ଆଣ୍ଡ ଲେଜର୍ କମ୍ପ୍ଲେକ୍ସ, ୱାଟର ଆଣ୍ଡ ଲାଇଟ୍ କମ୍ପ୍ଲେକ୍ସ ଏବଂ ମହାନଦୀ ୱାଟରଫ୍ରଣ୍ଟ ବିକାଶ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ମା' ସମଲେଶ୍ୱରୀ ମନ୍ଦିରର ଦ୍ୱିତୀୟ ପର୍ଯ୍ୟାୟ ବିକାଶ, ହୁମା ମନ୍ଦିର ଓ ଘଣ୍ଟେଶ୍ୱରୀ ମନ୍ଦିରର ଉନ୍ନତୀକରଣ, ପାୱାର ଚ୍ୟାନେଲ୍ ୱାଟରଫ୍ରଣ୍ଟ, ମହାନଦୀ ଆଇକନିକ୍ ବ୍ରିଜ୍ ଏବଂ ମହାନଦୀ ଆଇଲ୍ୟାଣ୍ଡ ନେଚର୍ ପାର୍କ ଓ ଉଦ୍ୟାନ ନିର୍ମାଣ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ଦେବ୍ରିଗଡ଼ ଅଭୟାରଣ୍ୟ, ବିକ୍ରମଖୋଲ ଓ ଭୀମମଣ୍ଡଳର ପ୍ରାକ୍-ଐତିହାସିକ ସ୍ଥଳୀଗୁଡ଼ିକର ବିକାଶ ଓ ସଂରକ୍ଷଣ ଉପରେ ଜଙ୍ଗଲ ଓ ପରିବେଶ ବିଭାଗ ଗୁରୁତ୍ୱ ଦେଇଥିଲା। ଦେବ୍ରିଗଡ଼ରେ ଇକୋ-ଟୁରିଜିମ୍ ହୋମ୍‌ଷ୍ଟେ, ଲଜ୍, ପ୍ରକୃତି ଧ୍ୟାନ କେନ୍ଦ୍ର, ସଫାରି ଗାଡ଼ି, କ୍ରୁଜ୍ ବୋଟ୍ ଓ କ୍ୟାନୋପି ୱାକ୍ ଭଳି ସୁବିଧା ବିକାଶ ପାଇଁ ଯୋଜନା ରହିଛି।

ଏହାବ୍ୟତୀତ ଜମାଦାରପାଲି ବିମାନପଟିର ସମ୍ପ୍ରସାରଣ ଓ ବିକାଶ, ହୀରାକୁଦ ଓ ବୁର୍ଲା ରିଙ୍ଗ୍ ରୋଡ୍, ଝାରସୁଗୁଡ଼ା ବାଇପାସ୍, ବୁର୍ଲା ଜଙ୍କସନ୍ ଓ ଏମ୍‌ସିଏଲ୍ ଛକରେ ଗ୍ରେଡ୍ ସେପାରେଟେଡ୍ ଷ୍ଟ୍ରକ୍ଚର୍ ନିର୍ମାଣ ସମେତ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କରାଯାଇଥିଲା।

ସାଗରମାଳା ଯୋଜନା ଓ ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ସହଯୋଗରେ ହୀରାକୁଦ ଜଳଭଣ୍ଡାରରେ କ୍ରୁଜ୍ ପର୍ଯ୍ୟଟନ, ନୌଚଳାଚଳ ମାର୍ଗ ଓ ଟର୍ମିନାଲ୍ ବିକାଶ ଯୋଜନାର ସମୀକ୍ଷା ହୋଇଥିଲା। ସମ୍ବଲପୁରର କିଙ୍ଗ୍ସ ସ୍କୋୟାର, ଝାରସୁଗୁଡ଼ାର ରାମ୍ପା ଲୁଙ୍ଗା ଓ ବରଗଡ଼ ଜିଲ୍ଲାରେ ଥିବା ଚାରିଟି ସମ୍ଭାବ୍ୟ ସ୍ଥାନ ମଧ୍ୟରୁ ଗୋଟିଏକୁ କ୍ରୁଜ୍ ଟର୍ମିନାଲ୍ ପାଇଁ ଚୟନ କରିବାର ଯୋଜନା ରହିଛି।

ସେହିପରି ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍ (MCL) ପକ୍ଷରୁ ମାଇନ୍ ମ୍ୟୁଜିୟମ୍, ଅଣ୍ଡରଗ୍ରାଉଣ୍ଡ ମାଇନ୍ ଏକ୍ସପେରିଏନ୍ସ ସେଣ୍ଟର ଓ ଇକୋ ପାର୍କ ବିକାଶ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଏଠାରେ ଖଣି ଇତିହାସ, ଭୂତତ୍ତ୍ୱ, ଖଣି ପ୍ରଯୁକ୍ତିବିଦ୍ୟା ଓ ଭର୍ଚୁଆଲ୍ ରିଆଲିଟି ମାଧ୍ୟମରେ ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବାର ଯୋଜନା ରହିଛି। ଏଥିସହ ରୋପ୍‌ୱେ, ଜିପ୍‌ଲାଇନ୍ ଓ ପାୱାର ଚ୍ୟାନେଲ୍ ଗାର୍ଡେନ୍ ନିର୍ମାଣ ପ୍ରସ୍ତାବ ମଧ୍ୟ ରହିଛି।

ଅନ୍ୟପକ୍ଷରେ, ଏନ୍‌ଟିପିସି ପକ୍ଷରୁ ଏନର୍ଜି ଏକ୍ସପେରିଏନ୍ସ ସେଣ୍ଟର୍ ନିର୍ମାଣ କରାଯିବ। ଏଠାରେ ଶକ୍ତି ଉତ୍ପାଦନ, ନବୀକରଣଯୋଗ୍ୟ ଶକ୍ତି, ଭର୍ଚୁଆଲ୍ ରିଆଲିଟି ଓ ନୂତନ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଶିକ୍ଷଣୀୟ ସୁବିଧା ରହିବ। ଏଥିସହ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ କର୍ଡୋଲା ଓ ସିଙ୍ଗାପଲ୍ଲୀରେ ୱିଭର୍ ଭିଲେଜ୍, ଜବାହର ଗାର୍ଡେନ୍, ଫ୍ଲୋଟେଲ୍ସ ଓ ଟେଣ୍ଟ ସିଟି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଏହା ମାଧ୍ୟମରେ ସ୍ଥାନୀୟ ହସ୍ତଶିଳ୍ପ, ବୁଣାକାର ପରମ୍ପରା ଓ ଜୀବିକାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ରହିଛି।

ବୈଠକରେ ପର୍ଯ୍ୟଟନ କମିଶନର ତଥା ସଚିବ ବଲୱନ୍ତ ସିଂହ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।