Jagrut Odisha

ବାତ୍ୟା ‘ଅକ୍ୱାନ୍’ ପ୍ରଭାବ ଆଶଙ୍କା: କନ୍ଧମାଳରେ କଳିଙ୍ଗା ଘାଟି ଓ ଗଜଲବାଡ଼ି ଘାଟି ରାସ୍ତା ବନ୍ଦ

ଜାଗୃତ ଓଡ଼ିଶା ବ୍ୟୁରୋ, Kandhamal ·

ବାତ୍ୟା ‘ଅକ୍ୱାନ୍’ ପ୍ରଭାବ ଆଶଙ୍କା: କନ୍ଧମାଳରେ କଳିଙ୍ଗା ଘାଟି ଓ ଗଜଲବାଡ଼ି ଘାଟି ରାସ୍ତା ବନ୍ଦ
ବାତ୍ୟା ‘ଅକ୍ୱାନ୍’ ପ୍ରଭାବ ଆଶଙ୍କା: କନ୍ଧମାଳରେ କଳିଙ୍ଗା ଘାଟି ଓ ଗଜଲବାଡ଼ି ଘାଟି ରାସ୍ତା ବନ୍ଦ

ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ଦୃଷ୍ଟିକୋଣରୁ କଳିଙ୍ଗା ଘାଟି ଓ ଗଜଲବାଡ଼ି ଘାଟି ରାସ୍ତାରେ ଯାନବାହନ ଚଳାଚଳକୁ ବନ୍ଦ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଓ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ଥିବାରୁ ପ୍ରଶାସନ ଏହି ପଦକ୍ଷେପ ନେଇଛି।

ଏହା ସହିତ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ତିନି ଦିନ ପାଇଁ ବନ୍ଦ ରଖିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

ଜିଲ୍ଲାରେ ୮୧ଟି ଭୂସ୍ଖଳନ ପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି। ବିଶେଷକରି ରାଇକିଆ, ଦାରିଙ୍ଗବାଡ଼ି ଓ ଚକାପାଦ ବ୍ଲକ୍ ଉପରେ ପ୍ରଶାସନର ସ୍ୱତନ୍ତ୍ର ନଜର ରହିଛି। ବିପଦପୂର୍ଣ୍ଣ ଅଞ୍ଚଳରୁ ୧୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏଥିପାଇଁ ୧୨୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି।

ସେହିପରି ୧୦୫ ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଆଯାଇଛି, ଯାହାଦ୍ୱାରା ଆବଶ୍ୟକ ସମୟରେ ସେମାନଙ୍କୁ ଚିକିତ୍ସା ସହାୟତା ମିଳିପାରିବ।

ବାତ୍ୟା ମୁକାବିଲା ପାଇଁ ଜିଲ୍ଲାରେ ଗୋଟିଏ NDRF ଟିମ୍ ଓ ତିନୋଟି ODRAF ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି। ଏଥିସହ ଜିଲ୍ଲାର ସମସ୍ତ ୧୨ଟି ବ୍ଲକ୍‌ରେ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି। ରିଲିଫ୍ କେନ୍ଦ୍ରଗୁଡ଼ିକରେ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି।

ପ୍ରବଳ ବର୍ଷା ଯୋଗୁଁ ଦୁର୍ଗମ ଅଞ୍ଚଳକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହେଲେ ଆକାଶମାର୍ଗରେ ଶୁଖିଲା ଖାଦ୍ୟ ପହଞ୍ଚାଇବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି।

ଜିଲ୍ଲାପାଳ ବେଦଭୂଷଣ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି।