ବାତ୍ୟା ‘ଅକଭାନ୍’ ଦୁର୍ବଳ ହେଲା, ଗୋପାଳପୁରଠାରୁ ୩୦୦ କିମି ଦୂରରେ; ଆସନ୍ତାକାଲି ସ୍ଥଳଭାଗ ଛୁଇଁବା ସମ୍ଭାବନା
ଜାଗୃତ ଓଡ଼ିଶା ବ୍ୟୁରୋ, Bhubaneswar ·

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ‘ଅକଭାନ୍’ ସାମାନ୍ୟ ଦୁର୍ବଳ ହୋଇଛି। ଗୁରୁବାର ରାତି ୮ଟା ୩୦ ସୁଦ୍ଧା ଏହା ଘଣ୍ଟାପ୍ରତି ୧୮ କିମି ବେଗରେ ଉତ୍ତର ଦିଗକୁ ଗତି କରୁଥିଲା।
ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ବାତ୍ୟାଟି ଗୋପାଳପୁରଠାରୁ ପ୍ରାୟ ୩୦୦ କିମି ଦକ୍ଷିଣରେ, ପୁରୀଠାରୁ ୩୬୦ କିମି ଦକ୍ଷିଣରେ ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ଠାରୁ ୨୨୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ଅବସ୍ଥିତ ଥିଲା।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନରସାପୁର ଓ ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ, ଗୋପାଳପୁର ନିକଟରେ ଉପକୂଳ ଅତିକ୍ରମ କରିପାରେ।
ସ୍ଥଳଭାଗ ଅତିକ୍ରମ ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିମି ରହିବା ସହ ଝଟକା ପବନର ବେଗ ୯୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ।
ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜନସାଧାରଣଙ୍କୁ ପାଣିପାଗ ବିଭାଗ ଓ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
