ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ସୋମବାର ଗଞ୍ଜାମ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସାଙ୍ଗରେ ରହିବେ ମନ୍ତ୍ରୀ ସୁରେଶ ପୂଜାରୀ
ଜାଗୃତ ଓଡ଼ିଶା ବ୍ୟୁରୋ, Bhubaneswar ·

ବାତ୍ୟା ‘ଅର୍ଣ୍ଣବ’ ଓ ‘ଅକଭାନ୍’ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବାକୁ ଆସନ୍ତା ସୋମବାର (ନଭେମ୍ବର ୨୩) ଗଞ୍ଜାମ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଗସ୍ତ କରିବେ ।
ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ରବିବାର ଏହି ସୂଚନା ଦେଇଛନ୍ତି । ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଚାଷଜମିର କ୍ଷୟକ୍ଷତି ଓ ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିବେ ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସକାଳ ୯ଟା ୧୫ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରେ ପହଞ୍ଚିବେ । ସେଠାରୁ ପୁରୁଷୋତ୍ତମପୁର ବ୍ଲକ୍ର ହାତୀଘର ଗ୍ରାମକୁ ଯାଇ ଫସଲ କ୍ଷୟକ୍ଷତି ଆକଳନ କରିବେ । ପରେ ଛତ୍ରପୁର ବ୍ଲକ୍ର ବାଉଳଗାଁ ପରିଦର୍ଶନ କରିବେ ।
ଏହାପରେ ଛତ୍ରପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିବେ । ବୈଠକରେ ବାତ୍ୟା ପରବର୍ତ୍ତୀ ଥଇଥାନ, ପୁନରୁଦ୍ଧାର କାର୍ଯ୍ୟ ଏବଂ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ୟାକେଜ୍ ବଣ୍ଟନର ଅଗ୍ରଗତି ସମୀକ୍ଷା କରାଯିବ ।
ଗଞ୍ଜାମ ଜିଲ୍ଲାରେ ଚାଷଜମି ଓ ବିଭିନ୍ନ ଭିତ୍ତିଭୂମି ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।
