ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଜାଗୃତ ଓଡ଼ିଶା ବ୍ୟୁରୋ, Bhubaneswar ·

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନ ଏବଂ ଆଇପିଏସ୍ ଅଧିକାରୀ ରବି କାନ୍ତଙ୍କ ବିଦେଶ ଗସ୍ତକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ହୋଇଥିବା ବିଦେଶ ଗସ୍ତ ସମ୍ପର୍କରେ ଏହି ତଦନ୍ତ କରାଯିବ। ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ପ୍ରମୁଖ ସଚିବଙ୍କୁ ଏହି ତଦନ୍ତ ଦାୟିତ୍ୱ ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ସାମାଜିକ କର୍ମୀ ଆରଟିଆଇ (RTI) ମାଧ୍ୟମରେ ପାଇଥିବା ତଥ୍ୟ ଆଧାରରେ ଏହି ବିଦେଶ ଗସ୍ତର ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଥିଲେ। ବିଶେଷକରି ଜାପାନ ଓ ଇଟାଲୀ ଗସ୍ତରେ ହୋଇଥିବା ଖର୍ଚ୍ଚର ବିବରଣୀ ସନ୍ଦେହଜନକ, ଅସ୍ପଷ୍ଟ ଓ ଅସମ୍ପୂର୍ଣ୍ଣ ଥିବା ଅଭିଯୋଗ ହୋଇଛି ।
ଏହି ଗସ୍ତ ସମ୍ପର୍କିତ କିଛି ତଥ୍ୟ ଜାଣିଶୁଣି ଗୋପନ ରଖାଯାଇଥିବା ଏବଂ ବିଭିନ୍ନ ରେକର୍ଡରେ ତଥ୍ୟଗତ ଅସଙ୍ଗତି ଥିବା ମଧ୍ୟ ଅଭିଯୋଗକାରୀମାନେ ଦାବି କରିଛନ୍ତି ।
ଏହି ସମସ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣିବା ଏବଂ ବିଦେଶ ଗସ୍ତ ସମ୍ପର୍କିତ ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ କୁହାଯାଇଛି ।
ତଦନ୍ତ ପରେ ଏହି ବିଦେଶ ଗସ୍ତର ଖର୍ଚ୍ଚ ଓ ସରକାରୀ ରେକର୍ଡ ସମ୍ପର୍କରେ ଅଧିକ ସ୍ପଷ୍ଟତା ଆସିବା ଆଶା କରାଯାଉଛି ।
