ପାରାଦୀପରେ କଳିଙ୍ଗ ବାଲିଯାତ୍ରା-୨୦୨୬ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ; ପ୍ଲାଷ୍ଟିକ୍ ଡଙ୍ଗା ବଦଳରେ କଦଳୀ ପଟୁକା ଡଙ୍ଗା ଭସାଇବାକୁ ଆହ୍ୱାନ
ଜାଗୃତ ଓଡ଼ିଶା ବ୍ୟୁରୋ, Paradip ·

ଓଡ଼ିଶାର ଗୌରବମୟ ସାମୁଦ୍ରିକ ଐତିହ୍ୟ ଓ ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ପ୍ରତୀକ କଳିଙ୍ଗ ବାଲିଯାତ୍ରା-୨୦୨୬କୁ ସୋମବାର ପାରାଦୀପରେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଉଦ୍ଘାଟନୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଳିଙ୍ଗ ବାଲିଯାତ୍ରା କେବଳ ଏକ ଉତ୍ସବ ନୁହେଁ, ବରଂ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସ, ସାଧବମାନଙ୍କ ସାହସ ଓ ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଜୀବନ୍ତ ପ୍ରତୀକ ।
ସେ କହିଛନ୍ତି ଯେ, ଐତିହାସିକ ସାମୁଦ୍ରିକ ବାଣିଜ୍ୟର ଦୃଢ଼ ଭିତ୍ତି ଉପରେ ଗଢ଼ିଉଠିଥିବା ପାରାଦୀପ ଆଜି ପୂର୍ବ ଭାରତର ବିକାଶର ପ୍ରବେଶଦ୍ୱାର ଏବଂ ଓଡ଼ିଶାର ଆର୍ଥିକ ପ୍ରଗତିର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି ।
ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀ ପାଳନ କରିବେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ । ଏହି ଅବସରରେ ନଦୀ, ପୋଖରୀ ଓ ସମୁଦ୍ରରେ ପ୍ଲାଷ୍ଟିକ୍ କିମ୍ବା ପଲିଥିନ୍ ଡଙ୍ଗା ଭସାଇବା ପରିବର୍ତ୍ତେ କଦଳୀ ପଟୁକାରେ ତିଆରି ପାରମ୍ପରିକ ଡଙ୍ଗା ଭସାଇବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।
ପରିବେଶ ସୁରକ୍ଷା ସହ ଆମ ସାଂସ୍କୃତିକ ପରମ୍ପରାକୁ ପାଳନ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଝଙ୍କଡ଼ବାସିନୀ ମା' ଶାରଳା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିବା ସହ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ।
