ବାଲେଶ୍ୱରରୁ ୧୦.୨୩ କୋଟି ଟଙ୍କାର ବ୍ରାଉନ୍ ସୁଗାର ଜବତ, ମହିଳାଙ୍କ ସମେତ ୨ ଗିରଫ
ଜାଗୃତ ଓଡ଼ିଶା ବ୍ୟୁରୋ, Balasore ·

ବାଲେଶ୍ୱର ସହରରୁ ୧୦.୨୩ କୋଟି ଟଙ୍କା ମୂଲ୍ୟର ୧୦.୨୩ କିଲୋଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି ପୋଲିସ। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ପୋଲିସର ସୂଚନା ଅନୁଯାୟୀ, ଗୁପ୍ତ ସୂଚନା ଆଧାରରେ ସୋମବାର ରାତିରେ ବାଲେଶ୍ୱର ଟାଉନ୍ ପୋଲିସ ଗୋପାଳଗାଁରେ ଥିବା ଏକ ଭଡ଼ା ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଏକ ବ୍ୟାଗ୍ରେ ଲୁଚାଇ ରଖାଯାଇଥିବା ବ୍ରାଉନ୍ ସୁଗାର ଜବତ ହୋଇଥିଲା। ଏଥିରେ କଞ୍ଚା ବ୍ରାଉନ୍ ସୁଗାର ସହ ଗୁଣ୍ଡ ଆକାରରେ ଥିବା ନିଶାଦ୍ରବ୍ୟ ମଧ୍ୟ ରହିଥିଲା।
ଏହି ଚଢ଼ାଉରେ ପୋଲିସ ୪ ଲକ୍ଷ ୬୨ ହଜାର ୭୯୦ ଟଙ୍କା ନଗଦ ଜବତ କରିଛି। ଏଥିସହ ୬ଟି ମୋବାଇଲ୍ ଫୋନ୍, ଗୋଟିଏ ମୋଟରସାଇକେଲ୍, ଗୋଟିଏ ସ୍କୁଟର, ଦୁଇଟି ଇଲେକ୍ଟ୍ରୋନିକ୍ ଓଜନ ମେସିନ୍ ଓ କିଛି ରାସାୟନିକ ପଦାର୍ଥ ଜବତ କରାଯାଇଛି। ଏହାବ୍ୟତୀତ ଗୋଟିଏ ଏଟିଏମ୍ କାର୍ଡ, ପାନ୍ କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ପୋଲିସ ଜବତ କରିଛି।
ଗିରଫ ଦୁଇ ଅଭିଯୁକ୍ତ ହେଲେ ଏସ୍କେ ଅସଗର ଓ ୩୭ ବର୍ଷୀୟା ହମିଦା ବିବି। ଉଭୟେ ସାହାଦେବଖୁଣ୍ଟା ଥାନା ଅଧୀନ ଆରଡ଼ାବଜାର ଅଞ୍ଚଳର ବାସିନ୍ଦା। ସେମାନେ ବାଲେଶ୍ୱର ସହରର ଗୋପାଳଗାଁରେ ଏକ ଭଡ଼ା ଘରେ ରହୁଥିଲେ।
ଏନେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପରେଶ କୁମାର ରାଉତ ସୂଚନା ଦେଇଛନ୍ତି। ଘଟଣାରେ ନିଶା କାରବାରର ଅନ୍ୟ ଦିଗ ନେଇ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି।
