ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ରଣପୁରର ୧୩ଟି ଆଶ୍ରୟସ୍ଥଳ ପରିଦର୍ଶନ
ଜାଗୃତ ଓଡ଼ିଶା ବ୍ୟୁରୋ, Nayagarh ·

ବାତ୍ୟା ‘ଅକଭାନ୍’ ପରବର୍ତ୍ତୀ ସ୍ଥିତି ଏବଂ ଲଗାଣ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ। ଶୁକ୍ରବାର ସେ ନୟାଗଡ଼ ଜିଲ୍ଲାର ରଣପୁର ଗସ୍ତ କରି ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିଛନ୍ତି।
ଏହି ଗସ୍ତ ସମୟରେ ବାଚସ୍ପତି ରଣପୁର ଏନ୍ଏସି ଅଞ୍ଚଳର ୪ଟି ଏବଂ ଗ୍ରାମାଞ୍ଚଳର ୯ଟି ସମେତ ମୋଟ ୧୩ଟି ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବିଷୟରେ ପଚାରି ବୁଝିଥିଲେ।
ଏହାସହ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ କରି ଧାନ ଫସଲର କ୍ଷୟକ୍ଷତି ଆକଳନ କରିଥିଲେ। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଯେପରି ଉଚିତ କ୍ଷତିପୂରଣ ମିଳିପାରିବ, ସେନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ପରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ସହ ଏକ ସମୀକ୍ଷା ବୈଠକ କରି ବାତ୍ୟା ପ୍ରଭାବିତ ଲୋକଙ୍କ କ୍ଷୟକ୍ଷତି ଓ ସରକାରୀ ସହାୟତା ପ୍ରଦାନ ନେଇ ଆଲୋଚନା କରିଥିଲେ।
ଏହି ଗସ୍ତ ସମୟରେ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ।
