କୋଟିଆରେ ତଥାକଥିତ ଓଡ଼ିଶା ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ୨ ଗିରଫ
ଜାଗୃତ ଓଡ଼ିଶା ବ୍ୟୁରୋ, Koraput ·

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ବିବାଦୀୟ କୋଟିଆ ଅଞ୍ଚଳରେ ତଥାକଥିତ ଓଡ଼ିଶା ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି କୋରାପୁଟ ପୋଲିସ ।
ଗିରଫ ଦୁଇଜଣ ହେଲେ ବିଶୁ ପାଙ୍ଗୀ ଓ ଲିବ୍ରି ହିମିରିକା। ଉଭୟେ କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଗୁଣାସିନେରୀ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି ।
ଅତିରିକ୍ତ ଏସ୍ପି ମନୋଜ ପୂଜାରୀଙ୍କ ସୂଚନା ଅନୁଯାୟୀ, ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଛି। କୋଟିଆ ଅଞ୍ଚଳରେ ପୋଲିସ ପକ୍ଷରୁ ନିୟମିତ ନଜର ରଖାଯାଉଛି। ଏହାସହ ଓଡ଼ିଶାର ସ୍ୱାର୍ଥ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସନ୍ଦେହରେ ଅନ୍ୟ କିଛି ବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରହିଛି ।
ଏଭଳି କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଜଣାପଡ଼ିଲେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, କୋଟିଆ ଅଞ୍ଚଳକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ସୀମା ବିବାଦ ରହିଆସିଛି। ଏହି ପରିପ୍ରେକ୍ଷୀରେ ଅଞ୍ଚଳରେ ପ୍ରଶାସନିକ ଓ ପୋଲିସ ସତର୍କତା ବୃଦ୍ଧି କରାଯାଇଛି ।
