Jagrut Odisha

ଆଦିବାସୀ ମହାବିଦ୍ୟାଳୟରେ ଏଆଇ ସାକ୍ଷରତା ଅଭିଯାନ, ଡିଜିଟାଲ୍ ଜ୍ଞାନ ଆହରଣ କଲେ ଛାତ୍ରଛାତ୍ରୀ

ଜାଗୃତ ଓଡ଼ିଶା ବ୍ୟୁରୋ, Baliguda ·

ଆଦିବାସୀ ମହାବିଦ୍ୟାଳୟରେ ଏଆଇ ସାକ୍ଷରତା ଅଭିଯାନ, ଡିଜିଟାଲ୍ ଜ୍ଞାନ ଆହରଣ କଲେ ଛାତ୍ରଛାତ୍ରୀ
ଆଦିବାସୀ ମହାବିଦ୍ୟାଳୟରେ ଏଆଇ ସାକ୍ଷରତା ଅଭିଯାନ, ଡିଜିଟାଲ୍ ଜ୍ଞାନ ଆହରଣ କଲେ ଛାତ୍ରଛାତ୍ରୀ

ଆଧୁନିକ ଯୁଗରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ବୈଷୟିକ ଜ୍ଞାନ ଯୁବପିଢ଼ିଙ୍କ ଭବିଷ୍ୟତ ଗଠନରେ ଏକ ନୂତନ ଦିଗ ଖୋଲିଥିବା ବେଳେ ଏହାର ଉପଯୋଗିତା, ଆବଶ୍ୟକତା ଓ ଭବିଷ୍ୟତରେ ରହିଥିବା ସମ୍ଭାବନା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବାଲିଗୁଡ଼ା ଆଦିବାସୀ ଡିଗ୍ରୀ ମହାବିଦ୍ୟାଳୟରେ କୌଶଳ ବିକାଶ ଯାତ୍ରା ଓ ଏଆଇ ସାକ୍ଷରତା ମିଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଇସେକ୍ଟ ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଏହି ଅଭିଯାନରେ ଛାତ୍ରଛାତ୍ରୀଙ୍କୁ ଏଆଇର ବ୍ୟବହାର, ଆଗାମୀ ଦିନରେ ଏହାର ବଢ଼ୁଥିବା ଗୁରୁତ୍ୱ, ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିର ସମ୍ଭାବନା ଏବଂ ନିଜକୁ ଆଧୁନିକ ଜ୍ଞାନକୌଶଳ ସହିତ କିପରି ଯୋଡ଼ି ରଖିପାରିବେ, ସେ ସମ୍ପର୍କରେ ବିସ୍ତୃତ ମାର୍ଗଦର୍ଶନ ଦିଆଯାଇଥିଲା। ଦେଶର ଏକ ଅଗ୍ରଣୀ ଦକ୍ଷତା ବିକାଶ ଓ ଉଚ୍ଚଶିକ୍ଷା ସଂଗଠନ ଆଇସେକ୍ଟ ପକ୍ଷରୁ ନଭେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ‘କୌଶଳ ବିକାଶ ଯାତ୍ରା-୨୦୨୬’ ଦେଶର ୨୦ଟି ରାଜ୍ୟର ୩୦୦ଟି ଜିଲ୍ଲାର ୫୦୦ରୁ ଊର୍ଦ୍ଧ୍ୱ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପହଞ୍ଚିବାର ଲକ୍ଷ୍ୟ ରଖିଛି। ଏହି ଯାତ୍ରା ମାଧ୍ୟମରେ ମାଗଣା ଏଆଇ ସେମିନାର, ପ୍ରଶିକ୍ଷଣ କର୍ମଶାଳା, କ୍ୟାରିୟର ପରାମର୍ଶ ଓ ବୈଷୟିକ ପ୍ରଦର୍ଶନୀ ଆୟୋଜନ କରାଯାଇ ଯୁବପିଢ଼ିଙ୍କୁ ନୂତନ ଦକ୍ଷତା ହାସଲ ସହ ଭବିଷ୍ୟତର ନିଯୁକ୍ତି ସୁଯୋଗ ପାଇଁ ପ୍ରସ୍ତୁତ ହେବାକୁ ପ୍ରୋତ୍ସାହିତ କରାଯାଉଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ, ବ୍ଲେସିଂ ଏଜୁକେସନାଲ ଇନଷ୍ଟିଚ୍ୟୁସନ ସେଣ୍ଟରର ଅଧ୍ୟକ୍ଷ ସୁକଦେବ ଦିଗାଲ ଓ ବର୍ଷାରାଣୀ ଡାକୁଆ ଉପସ୍ଥିତ ଥିଲେ। ଆଇସେକ୍ଟ ଓଡ଼ିଶାର କ୍ଷେତ୍ରୀୟ ସଂଯୋଜକ ଚୌଧୁରୀ ସତ୍ୟବ୍ରତ ଦାଶ, ନିଳାଦ୍ରୀ ମହାରଣା ଓ ବିଡିଇ ସୁଧାଂଶୁ ରଞ୍ଜନ ନାୟକ ଛାତ୍ରଛାତ୍ରୀଙ୍କୁ ଏଆଇର ଭବିଷ୍ୟତ ବ୍ୟବହାର, ଶିକ୍ଷା, ନିଯୁକ୍ତି ଓ ବିଭିନ୍ନ କ୍ଷେତ୍ରରେ ଏହାର ବଢ଼ୁଥିବା ଭୂମିକା ସମ୍ପର୍କରେ ବୁଝାଇଥିଲେ। ଆଇସେକ୍ଟ ମୁଖପାତ୍ର ସନ୍ତୋଷ ଚୋବେଙ୍କ ମତରେ, କୌଶଳ ବିକାଶ ଯାତ୍ରା କେବଳ ଏକ ଶିକ୍ଷାଗତ ଅଭିଯାନ ନୁହେଁ; ବରଂ ଯୁବପିଢ଼ିଙ୍କୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ିବା, ନିଯୁକ୍ତିଭିତ୍ତିକ ଶିକ୍ଷା ପ୍ରଦାନ କରିବା ଏବଂ ସେମାନଙ୍କ ଦକ୍ଷତାକୁ ବିକଶିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ମାଧ୍ୟମରେ ବିକଶିତ ଭାରତ ଗଠନରେ ଯୁବପିଢ଼ିଙ୍କ ଭାଗୀଦାରିକୁ ଆହୁରି ବୃଦ୍ଧି କରାଯାଇପାରିବ। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଛାତ୍ରଛାତ୍ରୀମାନେ ଏହି ଅଭିଯାନକୁ ନିଜର ଭବିଷ୍ୟତ କ୍ୟାରିୟର ଗଠନ ଓ ନୂତନ ଜ୍ଞାନକୌଶଳ ସମ୍ପର୍କରେ ଅବଗତ ହେବା ପାଇଁ ଏକ ଉପଯୋଗୀ ମାର୍ଗଦର୍ଶକ ବୋଲି ମତ ପ୍ରକାଶ କରିଥିଲେ। ଶେଷରେ ଉପସ୍ଥିତ ଅତିଥି, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇ ସେମିନାରର ସମାପନ କରାଯାଇଥିଲା।