ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ, ମହିଳାଙ୍କ ଘରୁ ମିଳିଲା ମୃତଦେହ
ଜାଗୃତ ଓଡ଼ିଶା ବ୍ୟୁରୋ, Bargarh ·

କଟାପାଲି ଠେଲାପଡ଼ାର ୩୦ ବର୍ଷୀୟ ଯୁବକ ଦେବେନ୍ଦ୍ର ପଧାନଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ବୁଧବାର ଅପରାହ୍ନରେ କଟାପାଲି ଗୁତିପଡ଼ାର ଜଣେ ମହିଳାଙ୍କ ଘରୁ ତାଙ୍କର ମୃତଦେହ ମିଳିଥିବା ଜଣାପଡ଼ିଛି । ତେବେ ଏହା ଆତ୍ମହତ୍ୟା ନା ମୃତ୍ୟୁ ପଛରେ ରହିଛି ଅନ୍ୟ କିଛି କାରଣ, ତାହାକୁ ନେଇ ଉଠିଛି ନାନା ପ୍ରଶ୍ନ । ସୂଚନା ଅନୁସାରେ, ଦେବେନ୍ଦ୍ର ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ଲିଜା ଭୁଏ ନାମକ ଜଣେ ଯୁବତୀଙ୍କ ସହ ଦୀର୍ଘ ୫ରୁ ୬ ବର୍ଷ ଧରି ସମ୍ପର୍କରେ ଥିଲେ ବୋଲି ଲିଜା ଓ ତାଙ୍କ ମାଆ ନନ୍ଦିନୀ ଭୁଏ ପ୍ରକାଶ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ଦେବେନ୍ଦ୍ର ମଦ୍ୟପାନ କରି ଘରକୁ ଆସିଥିଲେ । ପୂର୍ବ ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିବା କହି ଖାଇବାକୁ ମାଗିଥିଲେ । ଏହାପରେ ଲିଜାଙ୍କୁ ମାଡ଼ ମାରିବା ପାଇଁ ଗୋଡ଼ାଇବାରୁ ସେ ଅନ୍ୟତ୍ର ଲୁଚି ଯାଇଥିଲେ । ପରେ ନନ୍ଦିନୀଙ୍କୁ ଗାଳିଗୁଲଜ କରି ଘରେ ଥିବା ପଙ୍ଖାରେ ଝୁଲି ପଡ଼ିଥିବା ସେମାନେ ଦାବି କରିଛନ୍ତି । ଘଟଣା ଜଣାପଡ଼ିବା ପରେ କଟାପାଲି ସରପଞ୍ଚ ଓ ଗ୍ରାମବାସୀ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ପହଞ୍ଚିବା ସମୟରେ ମୃତଦେହ ଝୁଲନ୍ତା ଅବସ୍ଥାରେ ନଥାଇ ତଳେ ଶୁଆଇ ରଖାଯାଇଥିବା ଜଣାପଡ଼ିଛି ।ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ବୁଧବାର ଅପରାହ୍ନରେ ମୃତ୍ୟୁ ହୋଇଥିବା ସତ୍ତ୍ୱେ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ମୃତଦେହ କାହିଁକି ଘଟଣାସ୍ଥଳରେ ପଡ଼ି ରହିଥିଲା ? ଘଟଣାକୁ ନେଇ ଅନେକ ସନ୍ଦେହ ଓ ପ୍ରଶ୍ନ ଉଠୁଥିବା ବେଳେ ଏପର୍ଯ୍ୟନ୍ତ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । ମୃତକଙ୍କ ପରିବାର ପକ୍ଷରୁ ମଧ୍ୟ କୌଣସି ବୟାନ ଆସିନାହିଁ । ପୋଲିସର ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ଦେବେନ୍ଦ୍ରଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।
