Jagrut Odisha

ଅନ୍ତର୍ଜାତୀୟ ସୌର ସହଯୋଗ ପାଇଁ ଭାରତର ପ୍ରତିବଦ୍ଧତା ଦୋହରାଇଲେ ପ୍ରହ୍ଲାଦ ଯୋଶୀ

ତୃତୀୟ ଥର ପାଇଁ ଅନ୍ତର୍ଜାତୀୟ ସୌର ମେଣ୍ଟର ଅଧ୍ୟକ୍ଷ ହେଲା ଭାରତ, ଏଗ୍ରି-ପିଭିରେ ସଶକ୍ତ ହେବେ ୩୦ ଲକ୍ଷ ଚାଷୀ

ଜାଗୃତ ଓଡ଼ିଶା ବ୍ୟୁରୋ, New Delhi ·

ଅନ୍ତର୍ଜାତୀୟ ସୌର ସହଯୋଗ ପାଇଁ ଭାରତର ପ୍ରତିବଦ୍ଧତା ଦୋହରାଇଲେ ପ୍ରହ୍ଲାଦ ଯୋଶୀ
ଅନ୍ତର୍ଜାତୀୟ ସୌର ସହଯୋଗ ପାଇଁ ଭାରତର ପ୍ରତିବଦ୍ଧତା ଦୋହରାଇଲେ ପ୍ରହ୍ଲାଦ ଯୋଶୀ

ଭାରତର ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବିଶ୍ୱସ୍ତରୀୟ ନେତୃତ୍ୱ, ଅନ୍ତର୍ଜାତୀୟ ସହଯୋଗ ଏବଂ ସୌର ଶକ୍ତିର ସମାନୁପାତିକ ବଣ୍ଟନକୁ ଆହୁରି ସୁଦୃଢ଼ କରିବା ଦିଗରେ ଭାରତ ନିଜର ପ୍ରତିବଦ୍ଧତା ବଜାୟ ରଖିଛି ବୋଲି କହିଛନ୍ତି କେନ୍ଦ୍ର ନବୀକରଣଯୋଗ୍ୟ ଶକ୍ତି, ଶିକ୍ଷା, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଭାରତ ନବୀକରଣଯୋଗ୍ୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ (RE-INVEST) ୨୦୨୬ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ‘ସଶକ୍ତୀକରଣ ପାଇଁ ଶକ୍ତି’ ଏବଂ ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ୍’ ନୀତିକୁ ଆଧାର କରି ଭାରତ ସ୍ୱଚ୍ଛ ଶକ୍ତିର ବିଶ୍ୱବ୍ୟାପୀ ପ୍ରସାର ପାଇଁ ନିରନ୍ତର କାର୍ଯ୍ୟ କରୁଛି। କ୍ରମାଗତ ତୃତୀୟ ଥର ପାଇଁ ଭାରତ ଅନ୍ତର୍ଜାତୀୟ ସୌର ମେଣ୍ଟ (ISA)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ଦେଶର ବଢ଼ୁଥିବା ଅନ୍ତର୍ଜାତୀୟ ପ୍ରତିଷ୍ଠା ଓ ସୌର ଶକ୍ତି କ୍ଷେତ୍ରରେ ନେତୃତ୍ୱର ଏକ ଉଲ୍ଲେଖନୀୟ ପ୍ରମାଣ। ୨୦୧୫ ମସିହାରେ ଭାରତ ଓ ଫ୍ରାନ୍ସର ମିଳିତ ପ୍ରୟାସରେ ପ୍ରତିଷ୍ଠିତ ଏହି ମେଣ୍ଟରେ ବର୍ତ୍ତମାନ ୧୩୦ଟି ଦେଶ ସ୍ୱାକ୍ଷରକାରୀ ଓ ସଦସ୍ୟ ରାଷ୍ଟ୍ର ଭାବେ ସାମିଲ ହୋଇଛନ୍ତି। ବିଶେଷକରି ଗ୍ଲୋବାଲ୍ ସାଉଥ୍‌ର ବିକାଶଶୀଳ ଦେଶଗୁଡ଼ିକରେ ସୌର ଶକ୍ତିର ଉପଲବ୍ଧତା ବୃଦ୍ଧି, ପୁଞ୍ଜିନିବେଶ ଆକର୍ଷଣ, ବୈଷୟିକ ସହଯୋଗ ଓ ସ୍ୱଚ୍ଛ ଶକ୍ତି ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ଏହି ସଂଗଠନ ଏକ ପ୍ରଭାବଶାଳୀ ଅନ୍ତର୍ଜାତୀୟ ମଞ୍ଚ ଭାବେ କାର୍ଯ୍ୟ କରୁଛି। ଗତ ୨ ନଭେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀ RE-INVEST ଶିଖର ସମ୍ମିଳନୀ ଓ ଏକ୍ସପୋ ୨୦୨୬ର ଉଦ୍‌ଘାଟନ କରିଥିବାବେଳେ ଏହା ୫ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ସମ୍ମିଳନୀରେ ହେଉଥିବା ଆଲୋଚନା ସୌର ଶକ୍ତି କ୍ଷେତ୍ରରେ ଘୋଷଣା ଓ ପ୍ରତିବଦ୍ଧତାକୁ ବାସ୍ତବ ପୁଞ୍ଜିନିବେଶରେ ପରିଣତ କରିବା, ଅନ୍ତର୍ଜାତୀୟ ସହଭାଗିତାକୁ ନୂତନ ପ୍ରକଳ୍ପ ସହ ଯୋଡ଼ିବା ଏବଂ ନୀତିଗତ ମହତ୍ୱାକାଂକ୍ଷାକୁ ଲୋକଙ୍କ ଜୀବନରେ ପ୍ରତ୍ୟକ୍ଷ ପ୍ରଭାବରେ ପରିଣତ କରିବାରେ ସହାୟକ ହେବ ବୋଲି ଶ୍ରୀ ଯୋଶୀ ଆଶା ପ୍ରକାଶ କରିଥିଲେ। ଅନ୍ତର୍ଜାତୀୟ ସୌର ମେଣ୍ଟର ପ୍ରମୁଖ ପ୍ରାଥମିକତା ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ, ଯେଉଁ ଅଞ୍ଚଳରେ ସୌର ଶକ୍ତିର ସର୍ବାଧିକ ଆବଶ୍ୟକତା ରହିଛି, ସେଠାରେ ନିବେଶ ଓ ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ପ୍ରାଥମିକତା ଦିଆଯାଉଛି। ଏହି କ୍ରମରେ ଆଫ୍ରିକାର ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶକୁ ସହଜ କରିବା ପାଇଁ ୨୦୦ ନିୟୁତ ଡଲାରର ଆଫ୍ରିକା ସୌର ସୁବିଧା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପଦକ୍ଷେପ ପାଇଁ ଭାରତ ପକ୍ଷରୁ ୨୫ ନିୟୁତ ଡଲାର ବା ପ୍ରାୟ ୨୨୫ କୋଟି ଟଙ୍କାର ଅବଦାନ ସୁଲଭ ସୌର ଶକ୍ତିର ପ୍ରସାର ପ୍ରତି ଦେଶର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରିଛି। ସେହିପରି ୩୦୦ ନିୟୁତ ଡଲାରର ନାଇଜେରିଆ ଆବଣ୍ଟିତ ନବୀକରଣଯୋଗ୍ୟ ଶକ୍ତି ପାଣ୍ଠି ଆଫ୍ରିକା ମହାଦେଶର ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଏଭଳି ପ୍ରକଳ୍ପର ବିସ୍ତାର ପାଇଁ ଏକ ଅନୁକରଣୀୟ ମଡେଲ୍ ପ୍ରଦାନ କରିବ। ସୌର ଶକ୍ତି କିପରି ସାଧାରଣ ଲୋକଙ୍କ ଜୀବନଧାରାରେ ପରିବର୍ତ୍ତନ ଆଣିପାରିବ, ସେ ସମ୍ପର୍କରେ ଆଲୋକପାତ କରି ମନ୍ତ୍ରୀ କହିଥିଲେ ଯେ, ଫିଜି, ମାଡାଗାସ୍କର, କୋମୋରୋସ୍ ଓ ସେଚେଲ୍ସ ଭଳି ଦେଶରେ ଆଇଏସ୍‌ଏ ସହାୟତାରେ କାର୍ଯ୍ୟକାରୀ ପ୍ରକଳ୍ପଗୁଡ଼ିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବିଦ୍ୟାଳୟକୁ ବିଦ୍ୟୁତ୍ ଯୋଗାଣ, ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧ କରାଇବା ଏବଂ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସହାୟକ ହୋଇଛି। ଏହାଦ୍ୱାରା ଗ୍ରାମୀଣ ଜୀବିକାର ଉନ୍ନତି ସହ ଜଳବାୟୁ ପରିବର୍ତ୍ତନଜନିତ ଆହ୍ୱାନର ମୁକାବିଲା କରିବାର କ୍ଷମତା ମଧ୍ୟ ବୃଦ୍ଧି ପାଉଛି। ଏଥିସହ ମରିସସ୍‌ରୁ ଆରମ୍ଭ କରି କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ସୌର ଶକ୍ତି ସହ ଶକ୍ତି ସଂରକ୍ଷଣ ବ୍ୟବସ୍ଥାର ସମନ୍ୱୟ ରକ୍ଷା କରି ଦୀର୍ଘସ୍ଥାୟୀ ଓ ବିସ୍ତାରଯୋଗ୍ୟ ମଡେଲ୍ ବିକଶିତ କରିବାକୁ ମେଣ୍ଟ ପ୍ରୟାସ କରୁଛି। କୃଷି କ୍ଷେତ୍ରରେ ସୌର ଶକ୍ତିର ବ୍ୟବହାରକୁ ବ୍ୟାପକ କରି ୩୦ ଲକ୍ଷ ଚାଷୀଙ୍କୁ ସଶକ୍ତ କରିବା ଉପରେ ମଧ୍ୟ ଶ୍ରୀ ଯୋଶୀ ଗୁରୁତ୍ୱ ଦେଇଥିଲେ। ଭାରତର ପିଏମ୍-କୁସୁମ୍ ଯୋଜନା ଏହାର ଏକ ସଫଳ ଉଦାହରଣ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ, ସୌରଚାଳିତ ଜଳସେଚନ ବ୍ୟବସ୍ଥା ଚାଷୀଙ୍କ ବିଦ୍ୟୁତ୍ ଓ ଇନ୍ଧନ ଖର୍ଚ୍ଚ ହ୍ରାସ କରିବା ସହ ଅତିରିକ୍ତ ଆୟର ସୁଯୋଗ ସୃଷ୍ଟି କରୁଛି। ଏହି ମଡେଲ୍‌କୁ ବିଶେଷକରି ଆଫ୍ରିକୀୟ ଦେଶଗୁଡ଼ିକରେ ପ୍ରସାର କରିବା ପାଇଁ ଆଇଏସ୍‌ଏ ଉଦ୍ୟମ କରୁଛି। ଏଗ୍ରି-ପିଭି ବା କୃଷି-ସୌର ପ୍ରଣାଳୀ ମାଧ୍ୟମରେ ଜମିରେ ଚାଷ କାର୍ଯ୍ୟ ସହ ସୌର ବିଦ୍ୟୁତ୍ ଉତ୍ପାଦନକୁ ଏକାସାଙ୍ଗରେ ସମ୍ଭବ କରାଯାଇପାରିବ, ଯାହା ଚାଷୀଙ୍କ ଆୟ ଓ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୌର ଶକ୍ତି କ୍ଷେତ୍ରର ଦକ୍ଷତା ବୃଦ୍ଧି ପାଇଁ ୧୭ଟି ସୌର ପ୍ରଯୁକ୍ତି ପ୍ରୟୋଗ ସମ୍ବଳ କେନ୍ଦ୍ର, ଗ୍ଲୋବାଲ୍ କ୍ଷମତା କେନ୍ଦ୍ର ‘ଶାଇନ୍’ ଏବଂ ଏଆଇ ସକ୍ଷମ ଆଇଏସ୍‌ଏ ଏକାଡେମୀ ପ୍ରତିଷ୍ଠା ଭଳି ପଦକ୍ଷେପ ନିଆଯାଉଥିବା ସେ ସୂଚନା ଦେଇଥିଲେ। ଏହି ପ୍ରତିଷ୍ଠାନଗୁଡ଼ିକ ସଦସ୍ୟ ଦେଶମାନଙ୍କୁ ସୌର ପ୍ରଯୁକ୍ତିର ପ୍ରୟୋଗ, ଦକ୍ଷ ମାନବ ସମ୍ବଳ ସୃଷ୍ଟି, ଜ୍ଞାନକୌଶଳ ଆଦାନପ୍ରଦାନ ଓ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ସହାୟତା କରିବ। ଅନ୍ୟପକ୍ଷରେ, କୃତ୍ରିମ ବୁଦ୍ଧିମତ୍ତା ଓ ଡିଜିଟାଲ୍ ଅର୍ଥନୀତିର ଦ୍ରୁତ ବିକାଶ ସହିତ ଭବିଷ୍ୟତରେ ସୁଲଭ, ନିର୍ଭରଯୋଗ୍ୟ ଓ ସ୍ୱଚ୍ଛ ବିଦ୍ୟୁତ୍ ଶକ୍ତିର ଚାହିଦା ଅଧିକ ବଢ଼ିବ। ତେଣୁ ଶକ୍ତି ସୁରକ୍ଷା ଓ ଅର୍ଥନୈତିକ ବିକାଶ ପାଇଁ ନବୀକରଣଯୋଗ୍ୟ ଶକ୍ତିର ଗୁରୁତ୍ୱ ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ମତପ୍ରକାଶ କରିଥିଲେ। ସୌର ଶକ୍ତିର ଭବିଷ୍ୟତ ଗଠନ ପାଇଁ ସମସ୍ତ ଦେଶର ସହଭାଗୀ ଦାୟିତ୍ୱ, ନିରନ୍ତର ପୁଞ୍ଜିନିବେଶ ଓ ସାମୂହିକ ପ୍ରୟାସ ଅପରିହାର୍ଯ୍ୟ ବୋଲି ସେ ମତ ଦେଇଥିଲେ। ଭାରତକୁ ପୁନର୍ବାର ଅଧ୍ୟକ୍ଷ ଭାବେ ନିର୍ବାଚିତ କରିଥିବାରୁ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଧନ୍ୟବାଦ ଜଣାଇବା ସହ ଫ୍ରାନ୍ସକୁ ଆଇଏସ୍‌ଏର ସହ-ଅଧ୍ୟକ୍ଷ ଭାବେ ପୁନଃନିର୍ବାଚିତ ହେବା ପାଇଁ ଶୁଭେଚ୍ଛା ଜଣାଇଥିଲେ। ନୂତନ କାର୍ଯ୍ୟକାଳରେ ସୌର ଶକ୍ତି କ୍ଷେତ୍ରରେ ନିବେଶକୁ ଗତିଶୀଳ କରିବା, ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ଏବଂ ବିଶ୍ୱର ବିଭିନ୍ନ ସମ୍ପ୍ରଦାୟ ଓ ରାଷ୍ଟ୍ର ପାଇଁ ସ୍ୱଚ୍ଛ ଶକ୍ତିର ସୁଫଳକୁ ବାସ୍ତବ ରୂପ ଦେବା ଉପରେ ଭାରତ ଗୁରୁତ୍ୱ ଦେବ ବୋଲି ସେ ଆଶ୍ୱାସନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ନବୀନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ସଚିବ ସନ୍ତୋଷ କୁମାର ସଡ଼ଙ୍ଗୀ, ଅନ୍ତର୍ଜାତୀୟ ସୌର ମେଣ୍ଟର ମହାନିର୍ଦ୍ଦେଶକ ଆଶିଷ ଖାନ୍ନା, ଫ୍ରାନ୍ସର ପରିବେଶ ପରିବର୍ତ୍ତନ ମନ୍ତ୍ରୀ ମାଥିୟୁ ଲେଫେଭ୍ରେ, ଡେନମାର୍କର ବ୍ୟବସାୟ ଓ ପ୍ରତିଯୋଗିତା ମନ୍ତ୍ରୀ ମାର୍ଟିନ ଲିଡେଗାର୍ଡ, ସୁରିନାମର ପ୍ରାକୃତିକ ସମ୍ପଦ ମନ୍ତ୍ରୀ ଡେଭିଡ ଆବିଆମୋଫୋ, ସେଚେଲ୍ସର ଶିଳ୍ପ ଓ ଉଦ୍ୟୋଗ ମନ୍ତ୍ରୀ ଗେରାଲ୍ଡା ଡେସୌବିନ୍ ଏବଂ ଶ୍ରୀଲଙ୍କାର ଶକ୍ତି ଉପମନ୍ତ୍ରୀ ମହମ୍ମଦୁ ଆର୍କାମ ଇଲ୍ୟାସ୍‌ଙ୍କ ସମେତ ବିଭିନ୍ନ ଦେଶର ପ୍ରତିନିଧି ଓ ଅଧିକାରୀମାନେ ଉପସ୍ଥିତ ଥିଲେ।